Unknown

ଶ୍ରୀ ରାମକୃଷ୍ଣ ପୂଜାପଦ୍ଧତି

ଶ୍ରୀ ଧର୍ମାନନ୍ଦ ତ୍ରିପାଠୀ

 

ଆଶିଷ-ସୁମନୋପହାର

ପ୍ରଜ୍ଞାବିମଣ୍ଡିତ ବୀର ବିକ୍ରମରାଜନ,

ପ୍ରଜାପୁଞ୍ଜ ହିତକାରୀ ଅରାତିଗଞ୍ଜନ ।

ଭୋଗଲାଳସା ଛାମୁଙ୍କ ନୁହେ ସ୍ଫୃହଣୀୟ,

ଭୋଜରାଜ ପରି ସର୍ବନୃପବରଣୀୟ ।

ଜାହ୍ନବୀ ପରି ଛାମୁଙ୍କ ଚରିତ୍ର ପବିତ୍ର,

ରାମଙ୍କ ଶାସନ ପରି ଶାସନ କଥିତ ।

ନଭୋମଣି ପୂତକୁଳେ ଛାମୁଙ୍କ ଜନମ,

ଧାରଣା ମନରେ ସଦା ଉନ୍ନତ କରମ ।

କୀରତି ଛାମୁଙ୍କ ଗାଏ ମାନ୍ଦ୍ରାଜ ଉତ୍କଳ,

ମାନବବରିଷ୍ଠ ଛାମୁ ଦୁର୍ବଳର ବଳ ।

ରାମଚନ୍ଦ୍ର ପରି ସଦା ପ୍ରସନ୍ନବଦନ,

ଧର୍ମପୁତ୍ର ପରି ସର୍ବ ସଦ୍ଗୁଣସଦନ ।

ମଧୁଲିଟ ପରି ଛାମୁ ଅଟ ସାରଗ୍ରାହୀ,

ବରବନ୍ଦନୀୟ ନୃପ ଶାସ୍ତ୍ର ଅବଗାହୀ ।

ମକର ଆଳୟ ପରି ଗମ୍ଭୀର ଗୁଣରେ,

ଯୁଧିଷ୍ଠିର ପରି ଛାମୁ ନିଷ୍ଠା ସୁପୁଣ୍ୟରେ ।

ହାଟକ ପରି ଦୁର୍ଲ୍ଲଭ ସୁଗୁଣର ଘର,

ବହୁଦର୍ଶୀ ମହାରାଜ ପଣ୍ଡିତପ୍ରବର ।

ରାଜନୀତି- ବିଦ୍ୟାରେ ତ ଅତି ବିଚକ୍ଷଣ,

ରାମଙ୍କ ରାଜତ୍ୱ ପରି ରାଜତ୍ୱ ଲକ୍ଷଣ ।

ଜନପ୍ରିୟ ମହାରାଜ ଜନହିତକାରୀ,

ଜନକ ପରି ଶୁଣୁଛ ପରଜା ଗୁହାରି ।

ଶ୍ରୀଶପଦେ ଛାମୁଙ୍କର ଭକତି ଅଚଳା,

ଶ୍ରୀଦେବୀ ରାଜସଦନେ ହୋଇଛି ନିଶ୍ଚଳା ।

ବିଦ୍ୟାଦେବୀ ଦେଇଛନ୍ତି ଅତୁଳ ବିନୟ,

ରାଘବ ପରି ରାଜନ ଦରିଦ୍ରେ ସଦୟ ।

କ୍ରତୁଭୁଜ ମର୍ତ୍ତ୍ୟେ ଆସିଅଛ ଅବତରି,

ମର୍ତ୍ତ୍ୟମଣ୍ଡଳରେ ଛାମୁ ଏକା ଛାମୁ ପରି ।

ମନସ୍ୱୀ ମଧ୍ୟରେ ଅର୍ଜିଅଛ ଶୀର୍ଷସ୍ଥାନ,

କୃଷ୍ଣଚନ୍ଦ୍ର ଦେବ ସୂତ ମାନବ ମହାନ୍‌ ।

ଦେବତା ବ୍ରାହ୍ମଣପ୍ରିୟ ଦାନୀ ସୁକୋବିଦ

ଦେବଗୁରୁସମ ଛାମୁ ସର୍ବଶାସ୍ତ୍ରବିଦ ।

ବଂଶଗୌରବ ନୃମଣି ସଦା ମୁଖେ ହାସ,

ବଂଦ୍ୟକୁଳର ଗରିମା ଗାଏ ଇତିହାସ ।

କୁବେରଭଣ୍ଡାର ପରି ନୃପଧାନ୍ୟାଗାର

କୁଚତ୍ରିମାନଙ୍କ ପ୍ରତି ଶମନାବତାର ।

ଚିତ୍ରଭାନୁକୁଳୋଦ୍ଭବ ସରଳ ସଦୟ,

ଚିରସ୍ଥାୟୀ ଯଶ ଗାଏ ଆନ୍ଧ୍ର ବିଦ୍ୟାଳୟ ।

ରମ୍ୟ ସୌଧ ଅଗ୍ରେ ଥାଇ କନକ କଳଶ

ରଞ୍ଜିଦିଏ ଦର୍ଶକର ନୟନ ମାନସ ।

ଜୀବହତ୍ୟା ଛାମୁହୃଦେ ଦେଲା ମହାଖେଦ,

ଜୀବହିଂସା ପଶୁବଳି କରିଲ ନିଷେଧ ।

ବୀଣାପାଣିବରସୁତ ସାହିତ୍ୟସମ୍ରାଟ

ବୀତିହୋତ୍ର ବଂଶମଣି ଜୟପୁର ରାଟ ।

ଆଶୁତୋଷବରେ ଲଭ ସୁଦୀର୍ଘ ଜୀବନ

ଓଜ ତେଜପୁଞ୍ଜେ ଅରି କର ବିମର୍ଦ୍ଦନ ।

ଜୀବନେ ଅକ୍ଷୟ ଯଶସେବୁ ଛାମୁପଦ !

ବିଶ୍ୱନାଥ ବରେ ମେଣ୍ଟୁ ସକଳ ବିପଦ ।

ବହୁବର୍ଷ ଧରାଧାମେ ରଖୁ ନାରାୟଣ !

ଖ୍ୟାତନାମା ନୃମଣିଙ୍କ ହୁଅ ଅଗ୍ରଗଣ୍ୟ !

ନଗଜା ଖଣ୍ଡନ୍ତୁ ଇହଧାମେ ରିଷ୍ଟଚୟ !

ତପନ ତାପରେ ଅରି ଲଭନ୍ତୁ ବିଲୟ !

ସୁଖରେ ରହନ୍ତୁ ରାମକୃଷ୍ଣ ଯୁବରାଜ !

ନାରାୟଣବରେ ଅରି ମୁଖେ ଦେଇ ଲାଜ !

ଖିନ୍ନ ହୋଇ କୁଚତ୍ରୀଏ ପାନ୍ତୁ ଅପଚୟ !

ମାଧବ କୁମାରେ ସଦା ହୁଅନ୍ତି ସଦୟ !

କମଳାର ବରେ ଛାମୁ ପ୍ରାସାଦ କମଳା

କରନ୍ତୁ ମଣ୍ଡନ ଗୃହ ନୋହି ହୀନକଳା !

ରଘୁନାଥ ସଦା ପୂର୍ଣ କରୁ ଅଭିଳାଷ !

ରଖନ୍ତୁ କନ୍ୟା ଜାମାତା ଇନ୍ଦିରାବିଳାସ !

 

ବିଶାଖାପତ୍ତନ

ଆଶୀର୍ବାଦକ

ତା ୧୫।୭।୩୬

ଶ୍ରୀ ଧର୍ମାନନ୍ଦ ତ୍ରିପାଠୀ

 

ଉତ୍ସର୍ଗପତ୍ର

———————

ସ୍ୱସ୍ତି ଶ୍ରୀମହାମହନୀୟ ସକଳ ସଦ୍ଗୁଣାଧାର ଗୁଣିଗଣାଗ୍ରଗଣ୍ୟ ପର-

ଦୁଃଖମୋଚନତତ୍ପର ସୁଧୀମାନସସରବିଳାସିମରାଳକାବ୍ୟକୁଞ୍ଜ-

ବିହାରିପରଭୃତ୍‌ କବିତାଛନ୍ଦସୁମନମକରଗ୍ରାହି ମଧୁଲିଟ୍

ରବିକୁଳୋଦ୍ଭବ ଧର୍ମ୍ମପ୍ରାଣ ଆଶ୍ରିତଜନବତ୍ସଳ

ସାରଲ୍ୟମୂର୍ତ୍ତିମାନ ସତ୍ୟସନ୍ଧ ଦାନବୀର ରାଜର୍ଷି-

ପୁଙ୍ଗବ ଉତ୍କଳ ବିକ୍ରମାଦିତ୍ୟ ସାହିତ୍ୟସମ୍ରାଟ୍‌

ଜୟପୁରାଧୀଶ୍ୱର ମହାରାଜ ଶ୍ରୀ କାର୍ଷ୍ଣଚନ୍ଦ୍ର

ବୀରବିକ୍ରମଦେବ ବର୍ମ୍ମା ଡି. ଇନ୍‌ ଲିଟ୍‌

(D. in Lit) ମହୋଦୟ

ମହୋଦାରଚରିତେଷୁ

 

ସବିନୟନିବେଦନ ମିଦଂ

 

ପୁଣ୍ୟଶ୍ଳୋକ ଶ୍ରୀମାନ୍‌ ମହାରାଜ,

ଶ୍ରୀ ଛାମୁଙ୍କର ସୁନାମ ଓ ସୁଖ୍ୟାତି ସମଗ୍ର ଉତ୍କଳ ଏବଂ ମାନ୍ଦ୍ରାଜ ପ୍ରଦେଶରେ କାହାକୁ ଅବିଦିତ ନାହିଁ । ଶ୍ରୀଛାମୁଙ୍କ ବିଦ୍ଗତ୍ତାପରିଚାୟକ ‘‘ଶ୍ରୀ ତୁଳସୀବିକ୍ରମରାମାୟଣ, ବୁଦ୍ଧଦେବ ନାଟକ, ଉତ୍କଳ କୁନ୍ଦମାଳା ନାଟକ ଓ ଦୁର୍ଗା ଏବଂ କୃଷ୍ଣ କବଚମାନ ପାଠ କରି ଅଧୀନ ଶ୍ରୀଛାମୁଙ୍କ ପ୍ରତି ଯେଉଁ ନିରୂପମ ଅନାବିଳ ଭକ୍ତିଭାବ ପୋଷଣ କରିଅଛି, ତାହା ବାକ୍ୟାତୀତ ବୋଲି କହିବା ଅତ୍ୟୁକ୍ତିଜନକ ନୁହେ । ଉକ୍ତି ପୁସ୍ତକଚୟ ଓ ତେଲ୍‌ଗୁ ଭାଷା ରଚିତ ପୁସ୍ତକାବଳୀ ଶ୍ରୀ ଛାମୁଙ୍କ ବିଦ୍ୱତ୍ତା ଓ ଅଗାଧ ପାଣ୍ଡିତ୍ୟର ମୂକସାକ୍ଷୀବତ୍‌ ଚିରକାଳ ବିଦ୍ୟମାନ ଥିବ । ଆନ୍ଧ୍ର ବିଶ୍ୱବିଦ୍ୟାଳୟ ଓ ଅନ୍ୟ କେତେ ମହଦନୁଷ୍ଠାନ ଶ୍ରୀଛାମୁଙ୍କର ବଦାନ୍ୟତାରେ ପରିପୁଷ୍ଟ ହୋଇ ଅଙ୍ଗସୌଷ୍ଠବ ପ୍ରଦର୍ଶନପୂର୍ବକ ଶ୍ରୀଛାମୁଙ୍କର ଉଦାରହୃଦୟବତ୍ତାକୁ କାଳର ଅନନ୍ତବକ୍ଷରେ ଅମରାକ୍ଷରରେ ଲିପିବଦ୍ଧ କରିବାକୁ ବସିଲାଣି । ଉତ୍କଳର କାହିଁକି, ଭାରତେତିବୃତ୍ତ ମଧ୍ୟ ଶ୍ରୀଛାମୁଙ୍କର ସୁଖ୍ୟାତିକୁ ଦିନେ ଯେ ବଜ୍ରନିର୍ଘୋଷରେ ଗାନ କରିବ ତାହା ଶ୍ରୀଛାମୁଙ୍କର ଈଦାନୀନ୍ତନ କାର୍ଯ୍ୟକଳାପରୁ ସୂଚିତ ହୁଏ । ଶ୍ରୀଛାମୁଙ୍କର ସରଳ ଓ କମନୀୟ ବ୍ୟବହାର ରାଜର୍ଷିସୁଲଭ ସଦ୍‌ଗୁଣ ପୂର୍ବରୁ ଅଧୀନର ଚାକ୍ଷୁଷୀଭୂତ ନ ହୋଇ ଶ୍ରୁତିଗୋଚର ହୋଇଥିଲେହେଁ ଅଧୁନା ଶ୍ରୀଛାମୁଙ୍କ ସଙ୍ଗେ ଦୁଇ ତିନିବାର ଦେଖା ସାକ୍ଷାତରେ ଚକ୍ଷୁକର୍ଣ୍ଣର ବିବାଦ ସମ୍ପୂର୍ଣ୍ଣ ଅପସାରିତ ହୋଇଅଛି । ଶ୍ରୀଛାମୁଙ୍କ ଅଲୌକିକ ପ୍ରତିଭା, ଅକପଟ ମୃଦୁ ବ୍ୟବହାର ଓ ସାର୍ବଜନୀନ ମୈତ୍ରୀବ୍ରତ ସନ୍ଦର୍ଶନରେ ଅଧୀନ ମୁଗ୍‌ଧ । ପ୍ରଥମ କଥୋପକଥନ ପରେ ଶ୍ରୀଛାମୁଙ୍କ ଉତ୍କଳ ଭାଷାରଚିତ ପୁସ୍ତକାବଳୀ ପାଇଁ ସ୍ୱତଃ ଅଧୀନର ମନରେ ଭକ୍ତିପ୍ରତ୍ୟୁପହାର ବାସନା ଜାଗରୂକ ହୋଇ ବଳୀୟସୀ ହେବାରୁ ଅଧୀନ ଏହି ‘‘ଶ୍ରୀ ରାମକୃଷ୍ଣପୂଜାପଦ୍ଧତି’’ ସରଳ ମାତୃଭାଷାରେ ରଚନା କରି ଶ୍ରୀଛାମୁରେ ଭକ୍ତି ପୂର୍ଣ୍ଣଚିତ୍ତରେ ଅର୍ପଣ କଲା । ଏହା ନିତାନ୍ତ ଅକିଞ୍ଚିତ୍‌କର ଓ ଅସ୍ପୃହଣୀୟ ହେଲେହେଁ ଶ୍ରୀଛାମୁଙ୍କ ପ୍ରତି ପ୍ରଗାଢ଼ ଓ ଅନାବିଳ ଭକ୍ତିରସଦ୍ୱାରା ସଂବର୍ଦ୍ଧିତ ହୋଇଥିବାରୁ ଅଧୀନ ସବିନୟ କୃତାଞ୍ଜଳିପୁଟରେ ପ୍ରାର୍ଥନା କରେ ଯେ, ଏହା ଶ୍ରୀଛାମୁଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେବ ନାହିଁ । ଏଥିରେ ଅଧୀନ ଯଥାସ୍ଥାନରେ ସଂଶୋଧନ ଓ ପରିବର୍ତ୍ତନ ଶ୍ରୀଛାମୁଙ୍କର ଆଦେଶାନୁଯାୟୀ ସମ୍ପାଦନ କରିଅଛି ।

 

ପରିଶେଷରେ ଜଗଦ୍‌ଭୂମା ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କର ପଦାରବିନ୍ଦରେ ଏକାନ୍ତ ପ୍ରାର୍ଥନା ଯେ, ଶ୍ରୀଛାମୁ ଓ ଭବଦୀୟ ସିଂହାସନ ଉତ୍ତରାଧିକାରୀ ଯୁବରାଜ ଶ୍ରୀମାନ୍‌ ରାମକୃଷ୍ଣ ଦେବ ଦୀର୍ଘାୟୁଃ ଲାଭପୂର୍ବକ ଭାରତଗଗନୋଦ୍ଭାସୀ ଦେଦୀପ୍ୟମାନ ଜ୍ୟୋତିଷ୍କବତ ଜାଜ୍ଜ୍ୱଲ୍ୟମାନ ହୋଇ କୀର୍ତ୍ତତନାମା ନୃମଣିମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହୁଅନ୍ତୁ ।ଇତି।

 

ବିଶାଖାପତ୍ତନ

ଭବଦୀୟ କୃପାଭିକ୍ଷୁ

୧୧।୬।୩୬

ଶ୍ରୀ ଧର୍ମାନନ୍ଦ ତ୍ରିପାଠୀ

 

ଶ୍ରୀରାମ ପୂଜାପଦ୍ଧତି

(ରାଗ- ବଙ୍ଗଳାଶ୍ରୀ)

ଧ୍ୟାନ

ବରଚାପଧର            ସୁରଙ୍ଗ ଅଧର

ଆଜାନୁବାହୁ ଶ୍ରୀରାମ,

କମଳନୟନ            ପ୍ରସନ୍ନବଦନ

ରମ୍ୟରୂପ ଜିତକାମ ।

 

ପୂର୍ଣ୍ଣେନ୍ଦୁ ବଦନା            ଜନକନନ୍ଦନା

ଶୁଭା ସତୀ ବାମେ ଶୋଭା;

ସୁପୀତ ଅମ୍ବର-            ଶୋଭା କଳେବର

ଭକ୍ତଜନ- ମନୋଲୋଭା ।

 

ଉଭା ଯାର ବୀର            ସଉମିତ୍ରି ଧୀର

ଲକ୍ଷ୍ମଣ ଦକ୍ଷିଣଭାଗେ,

ଯୋଡ଼ି ବେନିକର            ପବନକୁମର

ମଥା ପୋତି ଉଭା ଆଗେ ।

 

 

ଭରତ ସୁମିତ୍ରା-            ପୁତ୍ର ଶତ୍ରୁ ହନ୍ତା

ପୁଣି ସଙ୍ଗେ ପରିଜନେ

ଚାରୁଚନ୍ଦ୍ରାତପ-            ମଣ୍ଡିତ ମଣ୍ଡପ

ଉପରେ ପୁଷ୍ପକାସନେ ।

 

ସୁରତରୁ ତଳେ            ସ୍ୱଜନ ଗହଳେ

ବୀରାସନେ ବିଜେ ସୁଖେ,

ସତୀଶିରୋମଣି            ଜନକଦୁଲଣୀ

ଅଙ୍କେ ଧରି ସ୍ମିତମୁଖେ ।

 

ଭକତସମ୍ବଳ            ଦୁର୍ବଳର ବଳ

ଅଶରଣର ଶରଣ,

ପାଷାଣୀ ଅହଲ୍ୟା            ସତୀହୀରା ହେଲା

ଲଭି ଯା ପଦ୍ମଚରଣ !

 

ହର-ହୃଦାକାଶେ            ସଦା ଯେ ବିକଶେ

ପର୍ବ-ଶର୍ବରୀଶ ପରି,

ଯା କୃପାକଣିକା            ଲଭିଣ ଗଣିକା

ପିଙ୍ଗଳା ଗଲା ଉଦ୍ଧରି !

 

 

ଯାର ପୂତ ନାମ            ଶ୍ରବଣାଭିରାମ

ଭବ-ଅମ୍ବୁଧି-ବୋଇତ,

ନବ ଜଳଧର-            ଶ୍ୟାମଳ ସୁନ୍ଦର

ଜାନକୀଦେବୀଦୟିତ,

 

କୌଶଲ୍ୟାତନୁଜ            ରମଣୀ ଅନୁଜ

ସଙ୍ଗେ ମୋ ହୃଦ-ଗଗନ

କରନ୍ତୁ ମଣ୍ଡନ            ପିନାକମଣ୍ଡନ

ଶାରଦ ଇନ୍ଦୁ ଯେସନ ।

 

ନୟନାଭିରାମ            ସଗୁଣ ଶ୍ରୀରାମ

ଜାନକୀ ଲକ୍ଷ୍ମଣ ସଙ୍ଗେ

ମରାଳ ମୋଦରେ             ମୋ ମାନସ-ସରେ

କ୍ରୀଡ଼ନ୍ତୁ ବିବିଧ ରଙ୍ଗେ ।

 

ସେ ସଗୁଣ ରୂପ            ଦଶରଥ ନୃପ

ତପସ୍ୟାଫଳରେ ଅଙ୍କେ

ଧରି ମୁଦେ ମାତି            ଥିଲେ ଦିବା ରାତି

ଯାପିଲେ କାଳ ନିଃଶଙ୍କେ ।

 

 

ଯା ସୁଷମା ଛବି            ରମ୍ୟ ବାଳରବି

ପରି ଆଭା ପରକାଶି

କୌଶଲ୍ୟା ଜନନୀ-            ମାନସ ପଦ୍ମିନୀ

ଖେଳାଉଥିଲା ବିକାଶି,

 

ସେ ରୂପ ସୁନ୍ଦର            ହୃଦୟେ ମୋହର

ବିକଣ୍ଠ ଏହି ବିନତି,

ମାନସ ସରାଗେ            ମାଗେଁ ଅନୁରାଗେ

ପୂର୍ଣ୍ଣ କର ସୀତାପତି ।

———————

 

ଆବାହନ

ଆସ ବୀରବର            ଶ୍ୟାମଳ ସୁନ୍ଦର

ଅଙ୍କେ ଧରି ସତୀହୀରା

କର ହେ ପାବନ            ଏ ମୋର ସଦନ

ସାରଙ୍ଗଧର ଇନ୍ଦିରା !

 

ଯେତେ କାଳଯାକେ            ହୃଦୟ ପୁଲକେ

କରିବି ମୁଁ ଆରାଧନା,

ତେତେକ ସମୟ            ପ୍ରଭୋ ଦୟାମୟ !

ନୋହିବ ଚଞ୍ଚଳମନା ।

 

ମୋ ପାଖକୁ ଆସ            ଜାନକୀବିଳାସ !

ଘେନ ଏ ପୂଜା ଦରବ

ତୁମ୍ଭ ଯୋଗ୍ୟ ଦ୍ରବ୍ୟ            କାହୁଁ ଏ ପାଇବ

ସହଜେ ହୀନ ମାନବ !

 

ଯାହା ମୁଁ ଆଣିଛି            ଏଠାରେ ରଖିଛି

ସବୁ ତୋହରି ଭିଆଣ,

ତୋ ଦ୍ରବ୍ୟରେ ତୋତେ            ପୂଜୁଛି ଉଷତେ

ଲଭିବାକୁ ସୁକଲ୍ୟାଣ ।

 

ପତ୍ର ପୁଷ୍ପ ଫଳ            ସୁନିର୍ମଳ ଜଳ

ଯାହା କରିଛି ସଂଗ୍ରହ

ସବୁ ତୋ ସର୍ଜନ            ବିପଦଭଞ୍ଜନ

ସକଳ କଳୁଷାପହ !

 

ମୁକତିକାମରେ            ଭକତିପ୍ରେମରେ

ଆରାଧୁଛି ପ୍ରଭୋ ରାମ !

ଘେନ ମୋର ପୂଜା            ଜନକତନୁଜା

ପୂର୍ଣ୍ଣ କର ମନସ୍କାମ ।

———————

 

 

ଆସନ

ରମ୍ୟ ସୁଶୋଭନ            ସୁଦିବ୍ୟ ଆସନ

ସର୍ବଶୁଭ ସୁଖକର

ରତନଖଚିତ            ସୁବର୍ଣ୍ଣଚିତ୍ରିତ

ରତ୍ନବେଦିକା ଉପର

 

ବନ୍ଦନ ଆସନ            ପୁଷ୍ପକ ସ୍ୟନ୍ଦନ

ନିମନ୍ତେ ଏହି ସୁମନ

କର ହେ ଗ୍ରହଣ            ଶ୍ୟାମଳବରଣ !

ଶ୍ରୀ ରଘୁକୁଳ-ନନ୍ଦନ !

 

ଜାନକୀ ସଙ୍ଗତେ            ସ୍ୱଜନ ସମେତେ

ଏଥି ବିଜେ କର ପ୍ରଭୁ,

ମୋ ଚଞ୍ଚଳ ମନ            ଅର୍ପି ଏ ସୁମନ

ତୋର କୃପାବିନ୍ଦୁ ଲଭୁ ।

 

ମୋର ହୃଦପଦ୍ମ            ତୋର ସୁଖସଦ୍ମ

ହେଉ ପ୍ରଭୁ ଅବିରତ,

ମୋ ଚଞ୍ଚଳ ମନ            ରାଜୀବଚରଣ

ଆଶ୍ରୟ କରୁ ନିରତ ।

 

ପାଦ୍ୟ

ସୁଗନ୍ଧ ନିର୍ମଳ            ଉଷ୍ଣ ପରିମଳ

ଜଳ ଅଛି ପାତ୍ରେ ଭରି,

ଦେଖାଅ ଚରଣ            ଜାନକୀରମଣ

ଧୋଇଦେବି ଯତ୍ନ କରି ।

 

ତୋ ଚରଣୋଦକ            ଧରିବି ମସ୍ତକ-

ଉପରେ ସୁକ୍ଷେମଙ୍କର

ଯାର ପ୍ରାପ୍ତି ଆଶା-            ସୁଖରେ ବିବଶା

ହୁଅନ୍ତି ବ୍ରହ୍ମା ଶଙ୍କର ।

 

ଯେ ଚରଣ ଧ୍ୟାନ-            ଚିନ୍ତାରେ ଅଜ୍ଞାନ

ଥାନ୍ତି ଶିବ ପଦ୍ମାସନ,

ଧୋଇ ଦେଇ ତାହା            କି ସୁପୂତ ଆହା

ହେବ ଏହି ଅକିଞ୍ଚନ ।

 

ବରବରଣୀୟା            ଗଙ୍ଗା ପୁଣ୍ୟତୋୟା

ସେ ଚରଣ ଅବଗାହି,

ଶିବଶିରେ ରାଜି            ସର୍ବବନ୍ଦ୍ୟା ଆଜି

ମୋର ଏଡ଼େ ଭାଗ୍ୟ କାହିଁ ?

 

ଅତି ସୁକୋମଳ            ଚରଣଯୁଗଳ

ଦେଖାଇଦିଅ ତଡ଼ତି,

ମୋ ହୃଦକମଳେ            ସ୍ଥାପିବି ନିଶ୍ଚଳେ

ଆସ ଅଗତିର ଗତି !

———————

 

 

ଅର୍ଘ୍ୟ

ସୁଗନ୍ଧ ଅକ୍ଷତ            ସୁମନ- ବାସିତ

ଅର୍ଘ୍ୟ ଆଣିଅଛି ମୁହିଁ

ଘେନ ଦେବବର             ଶ୍ୟାମକଳେବର

ସଙ୍ଗେ ସୀତା ଚନ୍ଦମୁହୀଁ ।

 

ସଦା ସୁପ୍ରସନ୍ନ            ପଙ୍କଜବଦନ

ଜାନକୀହୃଦଚନ୍ଦନ !

ଧୋଇଦିଅ ବାରେ            ପ୍ରଫୁଲ୍ଲ ହିୟାରେ

ସକଳ ଦୁଃଖ କଦନ ।

 

ଅମଳ କମଳ-            ନୟନଯୁଗଳ

ଦିଶିଯାଉ ଜକଜକ,

ସୁକମ ସୁଠାମ            ନୟନାଭିରାମ

ଘେନ ମୋ ଅର୍ଘ୍ୟ ଉଦକ ।

———————

 

 

ଆଚମନୀୟ

ଆଚମନ ପାଇଁ            ତ୍ରିଭୁବନ ସାଇଁ

ଆଣିଅଛି ତୀର୍ଥଜଳ,

ଅତି ପରିମଳ            ସୁଗନ୍ଧ ଶୀତଳ

ଘେନ ଦୁର୍ବଳର ବଳ ।

 

କର ଆଚମନ            ରାଜୀବଲୋଚନ

ଜାନକୀଦେବୀ-ଜୀବନ,

ହୁଅ ସୁପ୍ରସନ୍ନ            ହୋଇଯାଉ ଧନ୍ୟ

ଏହି ଦୀନ ଅକିଞ୍ଚନ ।

 

ପାଇ କୃପାବାରି            ପଙ୍ଗୁ ଚଢ଼େ ଗିରି

ମୂକ ହୁଅଇ ବାଚାଳ,

ଜନ୍ମଅନ୍ଧ ଲୋକ            ତେଜେ ସର୍ବ ଶୋକ

ହେଲେ ତୋ କୃପା ସଞ୍ଚାର ।

———————

 

 

ସ୍ନାନ

ଗଙ୍ଗା ସରସ୍ୱତୀ            ରେବା ପୟୋବତୀ

ନରମଦା ଗୋଦାବରୀ

କୁରୁକ୍ଷେତ୍ର ଗୟା            ପ୍ରାଚୀ ପୂତତୋୟା

ପୁଷ୍କର ସିନ୍ଧୁ କାବେରୀ

 

ସରଯୁ ପ୍ରଭାସ            ନୀରରେ କଳସ

ଭରି ରଖିଛି ଗୋସାଇଁ,

ଅବଗାହ କର            ଧରାସୁତାବର

ମୋଠାରେ ଦୟା ଦେଖାଇ ।

 

ପ୍ରଭୋ ସୀତାପତି !            ଜଗତର ପତି !

ସୁର-ନରପତି ରାମ !

ଦିଅ ଦରଶନ            ନୃମଣିଭୂଷଣ

ପୂର୍ଣ୍ଣ ହେଉ ମନସ୍କାମ ।

 

ପତିତପାବନ            ଦୁଃଖବିନାଶନ

ତୁମ୍ଭ ଅବଗାହ-ନୀରେ

ଲଭୁ ହୃଦ ଶାନ୍ତି            ରାବଣ-ଅରାତି

ଢାଳ କୃପାବାରି ଶିରେ !

 

ସକଳ ଜୀବନ            କାମଧେନୂତ୍ପନ୍ନ

ପୟେ ଗାତ୍ର ଅବଗାହି

ଶରଚାପଧାରୀ            ନିଅ ଶୁଦ୍ଧବାରି

ସ୍ନାନ ଆଚମନ ପାଇଁ ।

 

ପୟସରୁ ଝରି            ଶଶୀପ୍ରଭା ପରି

ମଧୁର ଅମଳ ଦଧି

କରିଛି ସଂଗ୍ରହ            ହେ କଳୁଷାପହ

ମଙ୍ଗଳ-କ୍ଷମା-ଉଦଧି ।

 

ଦଧିସ୍ନାନ ସାରି            ନିଅ ଶୁଦ୍ଧ ବାରି

ସ୍ନାନ ଆଚମନ ପାଇଁ,

ହେ ଭୟଭଞ୍ଜନ            ଗରବଗଞ୍ଜନ

ସୁଶାନ୍ତି ଲଭ ଗୋସାଇଁ ।

 

ନବନୀତଜାତ            ସୁବାସ ଗୋଘୃତ

ସର୍ବ ସନ୍ତୋଷକାରଣ

ଆଣିଅଛି ମୁହିଁ            ତୁମ୍ଭ ସ୍ନାନପାଇଁ

ନିଅ ରାବଣମାରଣ ।

 

ଘୃତସ୍ନାନ ସାରି            ନିଅ ଶୁଦ୍ଧ ବାରି

କର ସ୍ନାନ ଆଚମନ,

ଆହେ ସୁଖଧାମ            ଦୟାଳୁ ଶ୍ରୀରାମ !      

କର ପାପ ବିମୋଚନ ।

 

ତେଜଃ-ପୁଷ୍ଟିକର            ସୁସ୍ୱାଦୁ ମଧୁର

ତରୁ ପୁଷ୍ପଜାତ ମଧୁ

ରଖିଛି ସଜାଡ଼ି            ସ୍ୱର୍ଣ୍ଣପାତ୍ରେ ବାଢ଼ି

ନିଅ ରଘୁକୁଳବିଧୁ ।

 

ମଧୁସ୍ନାନ ଅନ୍ତେ            ସୁସ୍ନାନ ନିମନ୍ତେ

ନିଅ ନୀର ସୁନିର୍ମଳ

କର ଦେବ ସ୍ନାନ            ପୁଣି ଆଚମନ

କୃପାଳୁ ଭକ୍ତିବତ୍ସଳ ।

 

ସୁପୁଷ୍ଟିକାରିକା            ମଳାପହାରିକା

ଇକ୍ଷୁରସ ସମୁଦ୍ଭୂତା

ସ୍ୱର୍ଗଜା ଶର୍କରା            ସର୍ବପାପହରା

ମର୍ତ୍ତ୍ୟମଣ୍ଡଳେ ସୁପୂତା;

 

 

ଅବଗାହ ଅର୍ଥେ            ନିଅ ନିଜ ହସ୍ତେ

ରଘୁକୁଳଚୂଡ଼ାମଣି ।

ତାପରେ ନିର୍ମଳ            ସୁଶୀତଳ ଜଳ

ଘେନ ହେ କରୁଣାଖଣି ।

 

ପୟ ଦଧି ଘୃତ            ଶର୍କ ମଧୁଯୂତ

ପଞ୍ଚାମୃତ ସ୍ନାନବିଧି

କର ସମ୍ପାଦନ            ହେ ଦେବବନ୍ଦନ

ଅପାର କୃପାବାରିଧି ।

 

ପଞ୍ଚାମୃତ ସ୍ନାନ-            ଅନ୍ତେ ଭଗବାନ

ତୀର୍ଥଜଳେ ଅବଗାହ

ଆଚମନ ସାରି            ପ୍ରଭୋ ଦଇତ୍ୟାରି

କରୁଣା-ଦୃଷ୍ଟି ପକାଅ ।

 

ମଳୟ-ଭୂଧର-            ସମ୍ଭୂତ ସୁନ୍ଦର

ଘେନ ଅଗୁରୁ ଚନ୍ଦନ,

ତହିଁରେ ସୁସ୍ନାନ            କର ଅନୁଷ୍ଠାନ

କୌଶଲ୍ୟାନନ୍ଦବର୍ଦ୍ଧନ ।

 

 

ହରିଦ୍ରା ଚନ୍ଦନ-            ଯୂତ ଉଦ୍ଗର୍ତ୍ତନ

ସୁଗନ୍ଧ ଦ୍ରବ୍ୟରେ ଭରା

ଅବଗାହ ପାଇଁ            ରଖିଛି ଗୋସାଇଁ

ନିଅ ସର୍ବଦୁଃଖହରା ।

 

ଶାନ୍ତି ଉଦକରେ            ହୃଦ ପୁଲକରେ

କର ବିଭୋ ଅବଗାହ

ସୁଶାନ୍ତି ବିଧାନ            କରୁଣାନିଧାନ

କର ମୋରେ ଅହରହ,

 

ସୁନିର୍ମଳ ବାରି            ଆଚମନ ସାରି

କର ହସ୍ତ ପ୍ରକ୍ଷାଳନ,

ସ୍ନାନବିଧି ଶେଷେ            ମୋ ଶିରପ୍ରଦେଶେ

ସ୍ଥାପ ତୋ ବନ୍ଦ୍ୟ ଚରଣ ।

———————

 

ବସ୍ତ୍ର

ସୁପୀତ ଅମ୍ବର            କୌଶେୟ ସୁନ୍ଦର

ସର୍ବ ଭୂଷଣରେ ସୌମ୍ୟ

କର ପରିଧାନ            ହେ ଦୟାନିଧାନ !

ଲୋକଲୋଚନ-ସୁରମ୍ୟ ।

 

ହୃଦଆହ୍ଲାଦିନୀ            ସ୍ଥିରସୌଦାମିନୀ

ସୁନୀଳ ବାରିଦେ ଶୋଭା

ବଢ଼ାଏ ଯେସନ            ତେସନ ବସନ

ହେଉ ଜନମନୋଲୋଭା ।

 

କନକବରଣା            ଜନକନନ୍ଦନା

ପାଇଁ ଏ ସୁନୀଳ ଶାଟୀ

ଯହିଁ ତନ୍ତୁବାୟ            ଦର୍ଶାଏ ନିଶ୍ଚୟ

ବୟନର ପରିପାଟୀ ।

 

ତୁମ୍ଭ ପରିଜନ            ସୁଯୋଗ୍ୟ ବସନ

ପାଇଁ ଦେଉଛି ଅକ୍ଷତ,

ଅପରାଧ କ୍ଷମ            କ୍ଷମାସିନ୍ଧୁ ରାମ,

କୃପାଦୃଷ୍ଟି ଅବିରତ

 

ଥାଉ ଏ ଦୀନରେ            କରମହୀନରେ

ଏତିକି ମାତ୍ର ମାଗୁଣି,

ମୋ ହୃଦ ଅନ୍ତରେ            ବସ ନିରନ୍ତରେ

ସର୍ବଭୂପ-ଚୂଡ଼ାମଣି !

ଉପବୀତ ଉତ୍ତରୀୟ

ନବତନ୍ତୁଯୂତ            ତ୍ରିଗୁଣ ବଳିତ

ଦେବମୟ ଉପବୀତ,

ସୁପୀତ କୌଶେୟ            ରମ୍ୟ ଉତ୍ତରୀୟ

ଗ୍ରହଣ କର ତ୍ୱରିତ ।

 

କୋଟି କାମଜିଣା            ଜନମନ କିଣା

ଶ୍ୟାମଳ ସୁନ୍ଦର ରୂପ

ଦେଖୁ ମୋ ଲୋଚନ            ହେ ଭବମୋଚନ

ନିଖିଳ ବ୍ରହ୍ମାଣ୍ଡରୂପ ।

 

କ୍ଷତ୍ରିୟ ଉଚିତ            ଯଜ୍ଞ ଉପବୀତ

ସବ୍ୟ ସ୍କନ୍ଧରେ ବିରାଜି

ଉତ୍ତରୀୟ ସଙ୍ଗେ            ସୁଶ୍ୟାମଳ ଅଙ୍ଗେ

ଧନ୍ୟ କରୁ ନେତ୍ରରାଜି ।

 

ଆଭରଣ

ଘେନ ଏ ମୁକୁଟ            ରତ୍ନେ ଝଟଝଟ

ମଣି ହୀରକ ଖଚିତ,

ଶ୍ରବଣ ଯୁଗଳେ            ମକର କୁଣ୍ଡଳ

ବାରିଦେ ବିଦ୍ୟୁ ସୂଚିତ;

 

ଆହେ ମହାବାହୁ            ବିପଚ୍ଚନ୍ଦ୍ରରାହୁ !

ଦେଖାଇ ଦିଅ ଶ୍ରୀକର,

ଏ ଅଙ୍ଗଦ ନେବି            ବାହୁରେ ଖଞ୍ଜିବି

କଙ୍କଣ ଦେବି ସୁନ୍ଦର;

 

ପୀନ ବକ୍ଷେ ହାର            ସୁଷମା ଆଧାର

ହିରଣ୍ୟ ମଣି ରଚିତ

ହେ କମଳଡୋଳା            ଗଳେ ବନମାଳା

ତନୁ ଚନ୍ଦନଚର୍ଚ୍ଚିତ,

 

ବେନି କରେ ମୋର            ରମ୍ୟ ଅଙ୍ଗ ତୋର

ମଣ୍ଡିବି ଦିଅ ଆଦେଶ

ବିବିଧ ରତନେ             ଖଞ୍ଜିବି ଯତନେ

ପୁଣି ରଞ୍ଜିବି ସୁବେଶ,

 

ବାମ ହସ୍ତେ ଚଣ୍ଡ            ହାଟକ କୋଦଣ୍ଡ

ଦକ୍ଷିଣେ ସ୍ୱର୍ଣ୍ଣ ଶାୟକ

ଖଞ୍ଜିବି ଯତନେ            ପ୍ରଫୁଲ୍ଲିତ ମନେ

ଦେଖାଅ ରଘୁନାୟକ !

 

ଏ ଅଙ୍ଗୁରୀୟକ            କେଡ଼େ ଜକଜକ

ଅଙ୍ଗୁଳିରେ ଦେବି ଖଞ୍ଜି

କଟିରେ ମେଖଳା            ଦେବି କଞ୍ଜଡୋଳା

ନୂପୁର ଶ୍ରୀପଦେ ରଞ୍ଜି,

 

ସ୍ୱତଃ ରମ୍ୟରୂପ            ହେ କୋଶଳଭୂପ

କୋଟିକାମ ନୁହେ ସରି,

ରତନଖଚିତ            ଚନ୍ଦନଚର୍ଚିତ

ତନୁକୁ ନୟନ ଭରି

 

ଦେଖୁଥିବି ସଦା            ହୃଦୟରେ ମୁଦା

ଦିଅ ଏହି ଆଜ୍ଞା ମୋତେ,

ଏ ଭବସାଗର            ହୋଇଯିବି ପାର

ଆଶ୍ରି ତୋର ନାମ-ପୋତେ !

 

ନିଅ ଗୋ ଜନନୀ            ପତିତପାବନୀ

ଯଥାଯୋଗ୍ୟ ଅଳଙ୍କାର

ନିଜେ ସ୍ୱହସ୍ତରେ            ଶୋଭନ ଗାତ୍ରରେ

ମୋଦେ ପରିଧାନ କର ।

 

ନିଅ ପରିଜନ            ନିଜ ଆଭରଣ

ପିନ୍ଧ ନିଜ କଳେବରେ,

ଦିଅ ରାମଭକ୍ତି            ମୋର ଏ ବିନତି

ତୁମ୍ଭମାନଙ୍କ ପୟରେ ।

 

ତୁମ୍ଭ ବରାସନ            ସ୍ୱର୍ଣ୍ଣସିଂହାସନ

ବିଶେଷ ଶୋଭା ବର୍ଦ୍ଧନ

ରମ୍ୟ ଛତ୍ର ପାଇଁ            ଆହେ ରମାସାଇଁ

ଦେଉଛି ଏହି ସୁମନ,

 

କନକ ବେଣ୍ଟର            ଯୁଗଳ ଚାମର

ପାଇଁ ନିଅ ଏହି ଫୁଲ,

ବିଚିତ୍ର ରଞ୍ଜନ            ମଞ୍ଜୁଳ ବ୍ୟଜନ

ନିମନ୍ତେ ଘେନ ତଣ୍ଡୁଳ;

 

 

ଆସ୍ୟଶୋଭାଦର୍ଶୀ            ନିର୍ମଳ ଆରଶି

ଅର୍ପୁଛି ପ୍ରଭୁ ଆଗରେ,

ଯଥା ଆଭରଣ            କଲି ସମର୍ପଣ

ଘେନ ପ୍ରଭୁ ସରାଗରେ ।

———————

 

ଗନ୍ଧ

ବରବିଲେପନ            ଶ୍ରୀଖଣ୍ଡ ଚନ୍ଦନ

କସ୍ତୁରୀ କର୍ପୂର ବୋଳି

ରଖିଛି ଯତନେ            ଉଲ୍ଲସିତ ମନେ

ଚୁଆ ସଙ୍ଗେ ପାତ୍ରେ ଗୋଳି,

 

ଆହେ ପୁଣ୍ୟଧାମ            ନୃପତିଲଲାମ

ଘେନ ଶ୍ରୀ ଲଲାଟେ ଚିତା,

ରମ୍ୟ ଅପଘନେ            ଶୋଭୁ ବିଲେପନ

କନ୍ଧରେ ଶୋଭୁ ପଇତା ।

 

ରାମମନୋହରା            ପତିପ୍ରାଣା ବରା

ସିନ୍ଦୂର-ତିଳକ-ପ୍ରିୟେ

ହୋଇ ଭକ୍ତିପୂର            ଦେଉଛି ସିନ୍ଦୂର

ନିଅ ଉଲ୍ଲାସ-ହୃଦୟେ ।

 

ଆଣିଛି କଜ୍ଜ୍ୱଳ            ନୟନ ଉଜ୍ଜ୍ୱଳ

ତୋର କରେ ତୁହି ରଞ୍ଜ,

ଲାକ୍ଷାରସ ସଙ୍ଗେ            ଶୋଭନ ସୁରଙ୍ଗେ

ଶୋଭୁ ବେନି ପଦକଞ୍ଜ ।

 

କୁଙ୍କୁମ ରଜନୀ            ନିଅ ଗୋ ଜନନି !

ଶ୍ରୀଅଙ୍ଗରେ ମଣ୍ଡିବାକୁ

ଆଜ୍ଞା ହେଉ ମାତ            ଅପରାଧ ପାତ୍ର

ଅପରାଧ ଖଣ୍ଡିବାକୁ ।

———————

 

ଅକ୍ଷତ

କୁଙ୍କୁମ ସଂଯୁକ୍ତ            ଆଣିଛି ଅକ୍ଷତ

କରି ତାହା ସୁଶୋଭନ

ଅର୍ପେ ଭକ୍ତିଭରେ            ଶ୍ରୀପାଦପଦ୍ମରେ

କର ଯୋଡ଼ି ଦୀନ ଜନ ।

 

ହେ ଦେବାଧିଦେବ            ବ୍ରହ୍ମାଶିବସେବ୍ୟ !

ଅପରାଧ କ୍ଷମା କର

ମୋର ପାପଚୟ            ଲଭନ୍ତୁ ବିଲୟ

ବିନୟ ପଦେ ମୋହର ।

———————

 

ପୁଷ୍ପ

ମନ୍ଦାର ମାଳତୀ            କେତକୀ ସେବତୀ

ଛୁରିଅନା ତାମରସ,

ଜାଈ ଯୂଇ ମଲ୍ଲୀ            ନିଆଳି ଚାମେଲି

ବକୁଳ ଚମ୍ପକ କାଶ ।

 

ସୁଗନ୍ଧ ସୁଷମ            ବିବିଧ କୁସୁମ

ଆଣି ରଚିଅଛି ହାର,

ନେତ୍ରମନୋରମ            ପାରିଜାତଦାମ

ଘେନ କୃପାପାରାବାର ।

 

ନିଅ ପୁଷ୍ପଶ୍ରେଣୀ            ଭୂମିସୂତା ବେଣୀ

ରଞ୍ଜିଦିଅ ସ୍ୱହସ୍ତକେ

ନିଅ ଫୁଲମାଳା            ମଣ୍ଡିଦିଅ ଗଳା

ଆଶିଷ ଢାଳ ମସ୍ତକେ ।

 

ତୁଳସୀ ସୁପୁଣ୍ୟା            ଅସିତବରଣା

ରତନରୂପା ମଞ୍ଜରୀ

କେଶବନାୟିକା            ଭକତିଦାୟିକା

ମୁକ୍ତିସାରୀକା ପଞ୍ଜରୀ;

 

ଅର୍ପୁଛି ପୟରେ            ଭକ୍ତି ବିନୟରେ

ଗ୍ରହଣ କର ଶ୍ରୀରାମ

ଜନନୀଙ୍କୁ ଦେଇ            ପିନ୍ଧ ଗଳେ ନେଇ

ପର୍ଣ୍ଣ କର ମନସ୍କାମ ।

———————

 

ବାସ୍ତୁ-ପୂଜା

ହୋମାଦି ଅର୍ଚ୍ଚନ            ଶୁଭ ସମର୍ଚ୍ଚନ

ଅର୍ପୁଛି ଛାମୁରେ ପ୍ରଭୁ,

ହୁଅ ସୁପ୍ରସନ୍ନ            ଏ ଅଧମ ଜନ

ତୁମ୍ଭ କୃପାବିନ୍ଦୁ ଲଭୁ ।

———————

ଧୂପ

ବନସ୍ପତି ରସ-            ସମ୍ଭୂତ ସୁବାସ

ମନୋରମ ଗନ୍ଧଭରା,

ସର୍ବ ଦେବଙ୍କର            ଘ୍ରାଣସୁଖକର

ଧୂପ ସର୍ବରୋଗହରା,

 

କର ହେ ଆଘ୍ରାଣ            ବଇଦେହୀ ପ୍ରାଣ

ସ୍ୱଜନ ସଙ୍ଗତେ ଆଜ

ଏ ଅଧମ ଜନେ            କୃପାବଲୋକନେ

ପୂତ କର ରଘୁରାଜ !

———————

 

ଦୀପ

ପଞ୍ଚବର୍ତ୍ତିପୂତ            ଘୃତରେ ପୂରିତ

କନକ ଦୀପ ସମ୍ମୁଖେ

କରି ଉଦ୍ଦୀପନ            ଖଳ ସନ୍ତାପନ

ଧରିଅଛି ମନସୁଖେ ।

 

ଘେନ ଏ ଆଳତି            ଶ୍ୟାମଳ ମୂରତି

ପ୍ରସନ୍ନ ମୁଖକମଳେ-

ଖେଳିଯାଉ ହାସ            କମଳାବିଳାସ !

ତାହା ମୁଁ ନେତ୍ର ଯୁଗଳେ

 

ଦେଖି ହୁଏଁ ପୂତ            ଜାୟା ସୂତା ସୂତ

ସଙ୍ଗତେ ଲଭି ସଦ୍‌ଗତି

ସାକେତ ପୁରରେ            ମହା ମୋଦଭରେ

ରହିଥାଏଁ ତୁମ୍ଭ କତି ।

———————

 

ନୈବେଦ୍ୟ

ଶରକରା ଘୃତ            ରସରେ ପାଚିତ

ମୋଦକ କନକପାତ୍ରେ

ଆଣିଛି ପାୟସ            କଦଳୀ ପଣସ

ରୋମାଞ୍ଚପୂରିତ ଗାତ୍ରେ ।

 

ଆମ୍ବ ନାରିକେଳ            ମିଷ୍ଟାନ୍ନ୍‌ ମଞ୍ଜୁଳ

ଦଧି ଦୁଗ୍‌ଧ ନବନୀତ,

ମିଷ୍ଟ ପକ୍ୱ ଅନ୍ନ            ସୁସ୍ୱାଦୁ ବ୍ୟଞ୍ଜନ

ଗାଭୀଘୃତେ ସୁପାଚିତ ।

 

ଆଣିଅଛି ମିଷ୍ଟ            ସୁସ୍ୱାଦୁ ବରିଷ୍ଠ

ଲେହ୍ୟ ପେୟ ଚର୍ବ୍ୟ ଚୋଷ୍ୟ

ସାତ୍ତ୍ୱିକ ଆହାର            ଘେନ ହେ ମୋହର

ପ୍ରଭୋ ଜାନକୀଜୀବେଶ ।

 

ଲବଙ୍ଗ ଉଷୀର            ଏଳା ଶ୍ରୀକର୍ପୂର

ମିଶା ଜଳ ହେମାଧାରେ,

ପ୍ରାଶନ ନିମନ୍ତେ            ରଖିଅଛି ଯତ୍ନେ

ଏଥି ପ୍ରଭୋ ଦାନବାରେ !

 

କେଉଁ ଦ୍ରବ୍ୟ ତୋତେ      ଅଭାବ ଜଗତେ

କିସ ମୁଁ ଦେଇ ପାରିବି ?

ତୋର ସୃଷ୍ଟ ଜାଣି            ଏହା ଅଛି ଆଣି

ତୋ ଦ୍ରବ୍ୟେ ତୋତେ ପୂଜିବି ।

 

ଯାର ପଦ୍ମପାଦ            ଜଗଦମ୍ବାରାଧ୍ୟ

ତାର କି ଲୋକେ ଅଭାବ

କେଉଁ ଉପଚାର            ଅଲଭ୍ୟ ତାହାର

ମାତ୍ର ଘେନୁ ଭକ୍ତିଭାବ !

 

ଶ୍ରୀମୁଖ ବଚନ            କମଳ-ଲୋଚନ

ଅଛି ମୁଁ ଶାସ୍ତ୍ରରୁ ଶୁଣି

ପତ୍ର ପୁଷ୍ପ ଫଳ            ଭକ୍ତିଭାବେ ଜଳ

ଦେଲେ ଗ୍ରାହ୍ୟ ହୁଏ ପୁଣି ।

 

ଦଣ୍ଡକ ବନରେ            ଭିଲ୍ଲ ନାରୀକରେ

ଭୁଞ୍ଜିଲ ଉଚ୍ଛିଷ୍ଟ ଫଳ

ଯାହା ମୁଁ ଆଣିଛି            ଛାମୁଁରେ ଦେଉଛି

ସେ କଥାକୁ କରି ବଳ ।

 

ମୁଖ ପ୍ରକ୍ଷାଳନ            ପୁଣି ଆଗମନ

ହସ୍ତ ପ୍ରକ୍ଷାଳନ ସାରି;

ବେଦିକା ଆସନେ            ବସ ସୁଖମନେ

ସୀତା ସଙ୍ଗେ ଚାପଧାରୀ ।

 

ହେ କ୍ଷମାସାଗର            ସର୍ବକ୍ଷେମଙ୍କର

କ୍ଷମ ଅପରାଧ ମୋର

ନାହିଁ ମୋର ଅନ୍ୟ            ଗତି ହେ ଶରଣ୍ୟ

ସର୍ବଦା ଶରଣ ତୋର ।

———————

 

ତାମ୍ବୂଳ

ଦେଇ ପୂଗ ଫଳ            ଭାଙ୍ଗିଛି ତାମ୍ବଳ

ଏଳାଚୂର୍ଣ୍ଣକ ମିଶାଇ

ଲବଙ୍ଗ କର୍ପୂର            ସ୍ୱାଦୁ ଜାଈଫଳ

ବାସ ଦିଏ ଚହଟାଇ ।

ମୁଖବାସ ନିଅ            ମଇଥିଳୀପ୍ରିୟ

ଦିଅ ସକଳ ସମ୍ପଦ

ଲକ୍ଷ୍ମଣ-ଭରତ-            ଶତ୍ରୁଘ୍ନ ସେବିତ

ଦେବଦେବ-ଶିବବନ୍ଦ୍ୟ !

ଫଳ

ଘେନ ଏ ଶ୍ରୀଫଳ            ଭକତବତ୍ସଳ

ଆଗେ ରଖିଛି ସଜାଡ଼ି

ସଫଳ କାମନା            କର ମହାମନା

କୃପାମ୍ବୁ ଦିଅ ଅଜାଡ଼ି ।

ହେ ଭରତାଗ୍ରଜ            ଦଶରଥାତ୍ମଜ

ମାରୁତିସେବିତ ପଦ

ଜନ୍ମେ ଜନ୍ମେ ମୋର            ଶ୍ରୀପଦେ ତୁମ୍ଭର

ଦିଅ ଭକତି ସମ୍ପଦ ।

 

ଦକ୍ଷିଣା

ହିରଣ୍ୟ ଦକ୍ଷିଣା            ହିରଣ୍ୟ-ବରଣା

ସୀତାଦେବୀ ଚିତ୍ତଚୋର

ନିଅ ଶ୍ରୀହସ୍ତରେ            ଏପାପଗ୍ରସ୍ତରେ

ଜଡ଼ତା ବିନାଶ ଘୋର ।

 

ଅନନ୍ତ ପୁଣ୍ୟର            ଫଳ ଦିଅ ବୀର

ଶାନ୍ତିରେ ଯାଉ ଜୀବନ

ହେ ଜିତଦୂଷଣ            ଅରି ବିଭୀଷଣ

କଉଶଲ୍ୟାଗଣ୍ଠିଧନ !

———————

 

କର୍ପୂର ଆଳତି

କଦଳୀ ଗର୍ଭର            ସଂଜାତ କର୍ପୂର

ପାତ୍ରେ କରି ସନ୍ଦୀପନ

କରୁଛି ଆଳତି            ପ୍ରଭୋ ସୀତାପତି

ତପନକୁଳ-ତପନ ।

 

କରୁଣା ନୟନେ            ଆଳତି ଦର୍ଶନେ

ହୁଅ ସୁବରଦାୟକ

ଖଣ୍ଡ ମୋ ବିପତ୍ତି            ରଘୁକୁଳପତି

ଜନକସୂତା ନାୟକ ।

 

ଶ୍ରୀରାମ ବଲ୍ଲଭୀ            ବଇଦେହୀ ଦେବୀ

ହୁଅ ମୋରେ ସୁପ୍ରସନ୍ନା

ଚରଣକମଳେ            ମୋ ମନ ନିଶ୍ଚଳେ

ରଖ ମୋ ଶୁଭଦର୍ଶନା ।

 

ଦିଅ ଏହି ବର            ଜନନୀ ମୋହର

ଜନ୍ମେ ଜନ୍ମେ ରାମପଦ

ଧ୍ୟାଉ ମୋର ଚିତ୍ତ            ସକଳ ଦୂରିତ

ଖଣ୍ଡ ମୋ ସର୍ବବିପଦ ।

 

ସର୍ବ ସୁଖଧାମ            ସୀତାରାମ ନାମ

ରଟୁ ମୋହର ରସନା ।

ସତୀଶିରୋମଣି            ଜନକଦୁଲଣୀ

ସଫଳ କର ବାସନା ।

———————

 

ପ୍ରଦକ୍ଷିଣ

କରେଁ ପ୍ରଦକ୍ଷିଣ            କମଳଈକ୍ଷଣ

କର ଯୋଡ଼ି ଚଉପାଶେ

ଜନ୍ମ ଜନ୍ମାନ୍ତର            ପାତକ ମୋହର

ଅପସରି ଯିବା ଆଶେ ।

 

ଦୂରିତଖଣ୍ଡନ            ଦଇତଦଣ୍ଡନ

ଜାନକୀଚିତ୍ତମଣ୍ଡନ,

ହେ ରଘୁନନ୍ଦନ            ଗୀର୍ବ୍ବାଣବନ୍ଦନ

ସନ୍ତପ୍ତ-ହୃଦ-ଚନ୍ଦନ ।

 

ଗରବଗଞ୍ଜନ            କୋଦଣ୍ଡଭଞ୍ଜନ

ବିଷାକ୍ତନେତ୍ରଅଞ୍ଜନ

ପରଜାରଞ୍ଜନ            ଶ୍ରୀକଞ୍ଜନୟନ

କର ଶ୍ରୀପଦେ ମଜ୍ଜନ !

 

ଦୁଃଖବିମୋଚନ            କୃପାମ୍ବୁସେଚନ

କର ରାଜୀବଲୋଚନ !

ହର ମୋ ଶୋଚନ            ତୋ ନାମେ ରୋଚନ

ହେଉ ମୋ ରୋଗ ପାଞ୍ଚନ ।

 

ପୁଷ୍ପାଞ୍ଜଳି ନମସ୍କାର

ହେ ରଙ୍ଗପୟର            ପୁଷ୍ପାଞ୍ଜଳି ମୋର

ନାନା ସୁଗନ୍ଧ ସୁମନେ

ଅର୍ପୁଛି ତ୍ରିବାର            କରି ନମସ୍କାର

ପ୍ରଭୁ ଘେନ ତୁଷ୍ଟ ମନେ ।

 

ପିତା ସତ୍ୟ ମାନି            ତେଜି ରାଜଧାନୀ

ଅରଣ୍ୟେ କଲ ବିହାର,

ସଙ୍ଗେ ଧରି ଭ୍ରାତା            ସତୀ ଜଗନ୍ମାତା

ଶ୍ରୀପଦେ ଶହେ ଜୁହାର ।

 

ବିମାତା ନିଯୋଗ            ପାଇଁ ସର୍ବଭୋଗ

ଛାଡ଼ି ବନଫଳାହାର

କରିଲ ବିଧାନ            କରୁଣାନିଧାନ

ତୋ ପଦେ ଶହେ ଜୁହାର ।

 

ମନ୍ଦାକିନୀ ତଟେ            ଚିତ୍ରକୂଟ ଘାଟେ

ଦେଲ ପୁଷ୍ପ ଉପହାର

ବିଦେହତନୟା-            ଠାରେ କରି ଦୟା

ତୋ ପଦେ ଶହେ ଜୁହାର ।

 

ସତୀର ଲାଞ୍ଛନା            ସହି ମହାମନା

ବ୍ରହ୍ମଶର ପ୍ରତ୍ୟାହାର

କରି କାକ ପ୍ରାଣ-            ରଖି କଲ ତ୍ରାଣ

ତୋ ପଦେ ଶହେ ଜୁହାର ।

 

ଚଉଦ ବରଷ            ମନରେ ହରଷ

ସହି ବରଷା ନୀହାର

ଧର୍ମରକ୍ଷା ପାଇଁ            ଭ୍ରମିଲ ଗୋସାଇଁ

ତୋ ପଦେ ଶହେ ଜୁହାର ।

 

ଧରମ ସ୍ଥାପନ            ଭୂସୁର ପାଳନ

ପାଇଁ ଦୁଷ୍ଟକୁ ପ୍ରହାର

କରିଲ ବିଧାନ            ଅରିବିମର୍ଦ୍ଦନ

ତୋ ପଦେ ଶହେ ଜୂହାର ।

 

ସତୀ ପରିତ୍ରାଣ            ପାଇଁ ମନଃପ୍ରାଣ

ଢାଳି ଅସୁର ସଂହାର

କରିଲ ବିଧାନ            ସୀତାବିନୋଦନ

ତୋ ପଦେ ଶହେ ଜୁହାର ।

 

ଭରତ ଅଗ୍ରଜ            କୋଶଳାଧିରାଜ,

ଜଗଦମ୍ବା ଗଳାହାର,

ରବିକୁଳରବି            ଦୈତ୍ୟ-ନଗପବି

ପଦେ ମୋ ଶହେ ଜୁହାର ।

 

ପରଜା ରଞ୍ଜନ-            ବ୍ରତେ ଦେଇ ମନ

ସୀତା ସତୀ ପରିହାର

କରିଲ ବିଧାନ            କୌଶଲ୍ୟାନନ୍ଦନ

ପଦେ ମୋ ଶହେ ଜୁହାର ।

———————

 

 

ସଫଳାର୍ଘ୍ୟ

ଏ ସଫଳ ଅର୍ଘ୍ୟ            ଅରିଛାଗ ବ୍ୟାଘ୍ର

ଅର୍ପୂଛି ଭକତିଭରେ

ଘେନ ହେ ରାଘବ            ଦୁଃଖୀର ବାନ୍ଧବ

ପରମାନନ୍ଦ ମୋଦରେ ।

 

ହୁଅ ବରପ୍ରଦ            ସୁଗ୍ରୀବ-ଅଙ୍ଗଦ

ମାରୁତିବନ୍ଦିତ ପଦ,

ତ୍ରିଲୋକ-ରକ୍ଷକ            ପ୍ରପନ୍ନ-ପାଳକ

ବିଷୟ-ଗରଳ-ଗଦ ।

 

ହେ ଅଭୟଦାତା            ଭକ୍ତ ପିତା ମାତା

ଦୀନଜନପରିତ୍ରାତା,

ଦିଅ ପ୍ରଭୋ ବର,            ଭବଭୟହର,

ନିଖିଳ-ବିଶ୍ୱ-ବିଧାତା ।

 

ବିପଦରେ ମୋର            ଦୁଃଖୀସହୋଦର

ତୁମ୍ଭେ କେବଳ ସହାୟ,

ନାହିଁ ଅନ୍ୟ ଆଶା            କି ଅନ୍ୟ ଭରସା

ଶ୍ରୀପଦହିଁ ମୋ ଉପାୟ ।

 

ଡାକି ଦ୍ୟନ୍ତେ ଗଜ            ହେ ଭରତାଗ୍ରଜ

ପେଶିଲ ତକ୍ଷଣେ ଚକ୍ର,

ରଖିଲ ମାତଙ୍ଗ            ଫେଡ଼ିଲ ଆତଙ୍ଗ

ବେନି ଖଣ୍ଡ କରି ନକ୍ର ।

 

ବ୍ୟାଧ ପାଶେ ଏଣୀ            ଡାକି ଦେଲାକ୍ଷଣି

ଭାଜିଲା ସୁଖ ସ୍ୱପନ,

କୁରୁସଭାତଳ            ପାଞ୍ଚାଳୀ ବିକଳ

ଆସନ କଲା କମ୍ପନ ।

 

ବିପନ୍ନ ଉଦ୍ଧାର            କରି ବାରମ୍ବାର

ଶ୍ରମ ଲାଗିଲା କି ପୁଣି,

ତେଣୁ ବା ବିଳମ୍ବ            କରୁଛ ମାଧବ

ଏ ଅଧମ ଡାକ ଶୁଣି ।

 

ଦୀନବନ୍ଧୁ ନାମ            ଧରିଛ ଶ୍ରୀରାମ

ଦୀନଜନ ଗଲା ଭାସି

ହେବ ଲୋକହସା            ଆହେ ମହାଯଶା

ନ ଖଣ୍ଡିଲେ ଦୁଃଖରାଶି ।

———————

 

ପ୍ରାର୍ଥନା

ତୁମ୍ଭ ପଦ-ଦ୍ୱନ୍ଦ୍ୱ            ଅଖିଳ ଆନନ୍ଦ

ପ୍ରଦ ମୋର ଚିତ୍ତେ ସ୍ଫୁରୁ,

ତୁମ୍ଭର ସୃଜାନୁ            ଦଶରଥସନୁ

ରମ୍ଭାରମ୍ୟ ବେନି ଊରୁ,

 

ତୁମ୍ଭ ସିଂହକଟି            ମୋ ହୃଦେ ପ୍ରକଟି

ଯାଉଥାଉ ନିରନ୍ତର,

ସୁଗଭୀର ନାଭି            ମୋର ମନ ଭାବି

କଳୁଷ କରୁ ଅନ୍ତର ।

 

ପୀନ ବକ୍ଷସ୍ଥଳ            ସୁକନ୍ଧଯୁଗଳ

ଅନ୍ତର ନୟନ ଦେଖି

ହୋଇ ଯାଉ ଧନ୍ୟ            ଲଭୁ ସର୍ବ ପୁଣ୍ୟ

ଭବବିପାକ ଉପେକ୍ଷି ।

 

ଆଜାନୁ ଲମ୍ବିତ            ତୁମ୍ଭର ଶ୍ରୀହସ୍ତ

ହେଉ ଅଭୟ ବରଦ

ନୟନ କମଳ            ଚାରୁ ଗଣ୍ଡସ୍ଥଳ

ଅରୁଣାଧର ଶୁଭଦ ।

 

କୁଣ୍ଡଳଶୋଭିତ            ଶ୍ରବଣନିରତ

ଶୁଣୁ ମୋ ଆରତ ଡାକ,

ରମ୍ୟ ଝଟପଟ            ପ୍ରଶସ୍ତ ଲଲାଟ

ହରୁ ମୋ ବିପାକଯାକ ।

 

ତୁମ୍ଭ କୃଷ୍ଣକେଶ            ମନୋହର ବେଶ

କିରୀଟଶୋଭିତ ଶିର

ମୋ ହୃଦ-ନଳିନ            କରୁ ଉନ୍ମୀଳନ

ପ୍ରକାଶି ତେଜ-ମିହିର ।

 

କୋଟି କାମତନୁ            କେବେହେଁ ମୋ ମନୁ

ନ ହେଉ ତିଳେ ଅନ୍ତର,

ବିଷ୍ଣୁ ଦଶଗତ            ନାମଠାରୁ ପୂତ

ଯେଉଁ ଶ୍ରୀରାମ ମନ୍ତର

 

ତାକୁ ବାରମ୍ବାର            ରସନା ମୋହର

ରଟୁ ଥାଉ ଅବିରତ ।

ଶ୍ରୀରାମ ପୟର            ଅଭୟର ଘର

ସ୍ଫୁରୁ ମୋ ହୃଦେ ନିରତ !

 

ଦୂରିତ ହରଣ            ଶ୍ରୀରାମ ଚରଣ

ଶିରେ ମୋର ଲାଗି ଥାଉ,

ଶ୍ରୀରାମ ଚରଣ            ବେନିରେ ଶରଣ

ଗଲି ମେଣ୍ଟୁ ଦୁଃଖ ଦାଉ !

 

ମୁଖ ସୁଲଳିତ,            ଯୋଗୀନ୍ଦ୍ର ସେବିତ-

କୋମଳ ପଦ୍ମଚରଣ,

ଅଭୟ ବରଦ            କର କୋକନଦ,

ରୂପ ଶ୍ୟାମଳ ବରଣ,

 

ଶରଣ ସୁଖଦ            ସଦା ମୋକ୍ଷପ୍ରଦ

ମନ୍ତ୍ରଚୂଡ଼ାମଣି ନାମ,

ପଞ୍ଚ-ରତ୍ନାଗାର            ମୋ ହୃଦଭଣ୍ଡାର

ହେଉ ସଦା ପୁଣ୍ୟଧାମ ।

 

କାମୀକୁ ଯେପରି            ପ୍ରିୟ ଲାଗେ ନାରୀ

ରଙ୍କକୁ ଯେପରି ଧନ

ମୋ ମନ ତେସନ            ଜଗତ ପାବନ

ସୀତାରାମେ ରହୁ ମଗ୍ନ !

 

 

ମୋହଠାରୁ ଦୀନ            ମାନବରେ ହୀନ

ନାହିଁ ହେ ଦୟାସାଗର

ଏହା ହୃଦେ ଗୁଣି            ରଘୁବଂଶମଣି

ସର୍ବ-ପାପ-ତାପ-ହର ।

———————

 

ଶେଷ ଆଳତି

ପନ୍ନଗଶୟନ            ନଳିନନୟନ

ଗଗନ ସଦୃଶାକାର

ଅରବିନ୍ଦ ନାଭ            ଗୀର୍ବାଣ ପୁଙ୍ଗବ

ବାରିଦାଙ୍ଗ ବିଶ୍ୱାଧାର

 

ରମାଦେବୀକାନ୍ତ            ବଦନ ପ୍ରଶାନ୍ତ

ଯୋଗୀଜନ ଧ୍ୟାନଗମ୍ୟ

ଭବଭୟହର            ସର୍ବ ବିଶ୍ୱମ୍ଭର

ପଦଦ୍ୱନ୍ଦ୍ୱେ ନମୋନମ ।

 

ଅନନ୍ତ କୀରତି            ସହସ୍ରୂ ରତି

ସହସ୍ର ପାଦ ନୟନ

ହଜାର ହଜାର            ଊରୁ ବାହୁ ଯାର

ପୁଣି ସହସ୍ର ଆନନ ।

 

ସହସ୍ରେକ ନାମ            ସର୍ବସୁଖଧାମ

ଶାଶ୍ୱତ ପୁରୁଷୋତ୍ତମ

ସହସ୍ରେକ କୋଟି            କାଳେ ଅଛ ଘୋଟି

ପଦଦ୍ୱନ୍ଦ୍ୱେ ନମୋନମ ।

 

କ୍ଷୀରାବ୍‌ଧିଶୟନ            କମଳାନୟନ-

ଆନନ୍ଦବର୍ଦ୍ଧନ ଛବି

ଅରାତି ଶମନ            ଦାନବଦମନ

ଖଳକୁଳ-ନଗ-ପବି ।

 

ହେ ବ୍ରହ୍ମଣ୍ୟ ଦେବ            ସର୍ବଦେବସେବ୍ୟ

କାମନିନ୍ଦୀ କାନ୍ତିରମ୍ୟ

ଗୋବ୍ରାହ୍ମଣ ହିତ-            ସାଧକ ପବିତ୍ର

ପଦଦ୍ୱନ୍ଦ୍ୱେ ନମୋନମଃ ।

 

କରୁଣାସାଗର            କଳିମଳହର

ସାରଙ୍ଗଶୋଭିତ କର

ଜନମନୋହର            ଶ୍ୟାମକଳେବର

ସର୍ବ ଅମରପ୍ରବର ।

 

କୋଟିଭାନୁଜିଣା            ଜନମନକିଣା

ଶାନ୍ତଆସ୍ୟ ଅନୁପମ

ଜଗତପାବନ            ଜାନକୀଜୀବନ

ବେନିପଦେ ନମୋନମ ।

 

ଅଯୋନିସମ୍ଭବା            ସାଧ୍ୱୀ ଜଗଦମ୍ବା

ସତୀନାରୀ-ଶିରୋଭୂଷା

ରାମବିନୋଦିନୀ            ମେଦିନୀନନ୍ଦିନୀ

ଦଶରଥଭୂପସ୍ନୁଷା।

 

ପତିପ୍ରାଣା ଧୀରା            ସାକ୍ଷାତେ ଇନ୍ଦିରା

ରାମ ଏକା ପ୍ରିୟତମ

ବସୁନ୍ଧରାସୂତା            ଜଗତେ ସୃପୂତା

ତୋ ଶ୍ରୀପଦେ ନମୋନମ ।

———————

 

 

କ୍ଷମା ପ୍ରାର୍ଥନା

ନାହିଁ ଜାଣେ ଧ୍ୟାନ            ନାହିଁ ମୋର ଜ୍ଞାନ

ନ ଜାଣେ ଅର୍ଚ୍ଚନ ବିଧି

ଆବାହନ ତୋର            ଅଜ୍ଞାତ ମୋହର

ଷମ ହେ କରୁଣାନିଧି ।

 

ଏ ଭବସାଗରେ            ଶରଣ ଦେବାରେ

ତୁମ୍ଭ ବିନା ପାତ୍ର ନାହିଁ

ହେ କରୁଣାଧାମ            ତୁମ୍ଭେ ହେଲେ ବାମ

ଆଉ ମୋ ଆଶ୍ରୟ କାହିଁ ?

 

ଅପସରୁ ପାପ            ହୃଦୟ ସନ୍ତାପ

ହୀନ-ଦରିଦ୍ରତା ଯାଉ

ଆସୁ ପୁଣ୍ୟରାଶି            ସୁଖେ ଯାଏଁ ଭାସି

ତୁମ୍ଭ କୃପାଦୃଷ୍ଟି ଥାଉ !

 

ନାହିଁ ଜାଣେ ମନ୍ତ୍ର            ନାହିଁ ଜାଣେ ତନ୍ତ୍ର

କ୍ରିୟାଭକ୍ତିବିବର୍ଜିତ

ବ୍ରହ୍ମାଣ୍ଡ ଭିତରେ             ପାଷଣ୍ଡ ମଧ୍ୟରେ

ନିକୃଷ୍ଟ ସ୍ଥାନ ଅର୍ଜିତ ।

 

ଦୟାରେ ତୋହର            ଆରାଧନା ମୋର

ପରିପୂର୍ଣ୍ଣତାକୁ ଲଭୁ

ଏଥି ଯେତେ ଦୋଷ            କ୍ଷମ ପୀତବାସ

ଉଦାରହୃଦୟେ ପ୍ରଭୁ ।

 

ଏ ପୂଜାବିଧାନ            ଲଭୁ ସୁସମ୍ମାନ

ହୋଇ କୋବିଦ-ଆଦୃତ

ଏତିକି ବିନତି            ପ୍ରଭୁ ସୀତାପତି

ବିଶ୍ୱବ୍ରହ୍ମାଣ୍ଡ ଭୂଭୃତ !

 

(ସମ୍ପୂର୍ଣ୍ଣ)

 

ଶ୍ରୀକୃଷ୍ଣ ପୂଜାପଦ୍ଧତି

(ରାଗ-ରସକୁଲ୍ୟା)

ଧ୍ୟାନ

କସ୍ତୁରୀ ତିଳକ            ଲଲାଟପଟେ

କଉସ୍ତଭମଣି            ବକ୍ଷେ ପ୍ରକଟେ

ନାସାଅଗ୍ରେ ଶୋଭେ      ମୁକୁତାବର

କଙ୍କଣ ମୁରଲୀ            ଶୋଭିତକର

ଚନ୍ଦନଚର୍ଚ୍ଚିତ ଗାତ୍ର

ମୁକ୍ତାବଳୀମାଳା-            ସୁଶୋଭିତଗଳା

ଅନିନ୍ଦ୍ୟ ସୁଷମା ପାତ୍ର;

 

ଫୁଲ୍ଲଇନ୍ଦୀବର            ଶ୍ୟାମସୁନ୍ଦର

ଚନ୍ଦ୍ରମାବଦନ            ସୁକଳେବର

ବର୍ହଅବତଂସ            ଭୂଷଣପ୍ରିୟ

ଶ୍ରୀବତ୍ସଲାଞ୍ଛନ            ଜିତଇନ୍ଦ୍ରିୟ

ପୀତ-ଅମ୍ବର ମୋହନ,

ଗୋପୀକାନୟନ            ଆନନ୍ଦବର୍ଦ୍ଧନ

ଘନଶ୍ୟାମ ଅପଘନ;

 

ଦିବ୍ୟଅଙ୍ଗଭୂଷ            ବଂଶୀବାଦନ

ରୂପଶୋଭାଗୋଟି            କୋଟିମଦନ

ଅଭିନବ ଜଳ-            ଧର ସୁନ୍ଦର

ଇନ୍ଦ୍ରଗର୍ବଗଞ୍ଜା            ଧୃତମନ୍ଦର

ଗୋପଗୋପୀକା ଆବୃତ,

ଭକତବତ୍ସଳ            ଗୋବ୍ରାହ୍ମଣପାଳ

ଧର୍ମସ୍ଥାପନେ ପ୍ରବୃତ୍ତ;

 

ମକର କୁଣ୍ଡଳ-            ଶୋଭୀ ଶ୍ରବଣ

ଦୂରନ୍ତ ଅରାତି            ଗର୍ବଖର୍ବଣ

ଶରୀରସୌଷ୍ଠବ            ଜନରଞ୍ଜନ

ବିଷଧର କାଳି-            ଦର୍ପ-ଗଞ୍ଜନ

ମଞ୍ଜୁଳ ମଙ୍ଗଳ ଛବି

କଳୁଷ-ତାମସ            କରନ୍ତୁ ବିନାଶ

ହୋଇ ହୃଦପଦ୍ମ ରବି !

 

ଅମଳ କମଳ-            ଦଳ-ଲୋଚନ

ବସନ୍ତୁ ମୋ ହୃଦେ            ଭବମୋଚନ !

ବାମେ ବିଦ୍ୟୁନ୍ନିଭା            ରାଧା ସୁନ୍ଦରୀ

କଦମ୍ବମୂଳିଆ            ମୁରଲୀଧାରୀ

ହୃଦେ କରନ୍ତୁ ଆବାସ,

ମୋ ହୃଦ-ନୟନ            ଦେଖୁ ଶ୍ୟାମଘନ

ଚନ୍ଦ୍ର ଆସ୍ୟେ ସ୍ମିତହାସ !

———————

 

ଆବାହନ

ଆସହେ ପାବନ            ରାଧା-ଗୋବିନ୍ଦ

ଦେଖାଅ ହେ ବାରେ      ମୁଖାରବିନ୍ଦ

କରିବି ଅର୍ଚ୍ଚନା            ହେଉଛି ମନ

ବିଜେକର ପ୍ରଭୋ            ବିଶ୍ୱପାବନ

ସନ୍ନିଧିକୁ ମୋର ଆସ,

ହୋଇଣ ସୁସ୍ଥିର            ବସ ଏଥି ଧୀର

ଦେଖାଇ ଶ୍ରୀଆସ୍ୟେ ହାସ ।

———————

ଆସନ

କନକ ଆସନ            ପାଇବି କାହୁଁ ?

ବିନୟେ ଦେଉଛି            ହେ ମହାବାହୁ

ସୁଯୋଗ୍ୟ ଆସନ            ପାଇଁ ସୁମନ

ବିଜେ କର ଏଥି            ନନ୍ଦନନ୍ଦନ

ଏ ଦୀନ-ହୃଦ-କୁମୁଦ

ଦେଖି ମୁଖଶଶୀ            କିବା ଦିବାନିଶି

ନାଚୁ ସଦା ଲଭି ମୁଦ ।

———————

 

ପାଦ୍ୟ

ସୁବାସମିଶ୍ରିତ            ନିର୍ମଳ-ଜଳ

ଆଣିଛି ଧୋଇବି            ପଦକମଳ

ଦେଖାଅ ପୟର            ହେ ବେଣୁପାଣି

ଦୟାକର ମୋରେ            ଅଧମ ଜାଣି

ଧୋଇବି ଚରଣ ବେନି,

ଧରିବି ମସ୍ତକେ            ହୃଦୟ ପୁଲକେ

କୁଟୁମ୍ବ ବାନ୍ଧବ ଘେନି ।

———————

ଅର୍ଘ୍ୟ

ଦେଖାଅ ଶ୍ରୀମୁଖ            ରାଧିକାନାହା

ବାସଜଳେ ଆଜ            ଧୋଇବି ତାହା

ଗନ୍ଧ ପୁଷ୍ପାକ୍ଷତ            ଅର୍ଘ୍ୟେ ମିଶାଇ

ସମର୍ପୁଛି ଅଗ୍ରେ            କମଳାସାଇଁ

ଦିଅ କୃପାବାରି ଢାଳି,

ହେ ଦୀନବାନ୍ଧବ            ଶ୍ରୀରାଧାମାଧବ

ତୁମ୍ଭେ ମୋ ଦୁଃଖିସଙ୍ଖାଳି ।

———————

 

ଆଚମନୀୟ

ତୀର୍ଥଜଳେ ଗନ୍ଧ            କର୍ପୂର ଭରି

ହିରଣ୍ୟପାତ୍ରରେ            ଆଣିଛି ହରି

ଦେଉଛି ସମର୍ପି            ପ୍ରଭୁ ଆଗରେ

ଆଚମନବିଧି            ସାର ସାଦରେ

ମୋଠାରେ ହୁଅ ପ୍ରସନ୍ନ,

ଆଶ୍ରୟ ମୋହର            ତୁମ୍ଭ ଶ୍ରୀପୟର

ତୁମ୍ଭେ ମୋ ଜୀବନ ଧନ ।

———————

ସ୍ନାନ

ସର୍ବତୀଥୁଁ ଆଣି-            ଅଛି ଜୀବନ

ଅବଗାହ ପାଇଁ            ରାଧାମୋହନ

ଶ୍ରୀଅଙ୍ଗେ ଢାଳିବି            ଦେଖାଅ ଗାତ୍ର

ସଦା ଶାନ୍ତି ଦିଅ            ସୁଷମାପାତ୍ର

କରୁଣାମ୍ବୁ ଦିଅ ଢାଳି,

କରୁଣାସାଗର            ହେ ଗୋପନାଗର

ତୁମ୍ଭେ ମୋର ଗଳାମାଳି ।

———————

 

ବସ୍ତ୍ର

ପୀତବସନିଆଁ            ପୀତ ବସନ

ଘେନ ହେ ସାଦରେ      ହୋଇ ପ୍ରସନ୍ନ

ନବ ଜଳଧର            ଶ୍ୟାମସୁନ୍ଦର

ଗାତ୍ରେ ଝଲକିବ            ପୀତ ଅମ୍ବର

ନିଅ ରାଧେ ନୀଳ ଶାଟୀ,

ସର୍ବସୁଖଧାମ            ରାଧାକୃଷ୍ଣ ନାମ

ସଦା ରଟୁ ମୋର ପାଟି ।

———————

ଉପବୀତ ଉତ୍ତରୀୟ

ଉତ୍ତରୀୟ ନିଅ            କରୁଣାସିନ୍ଧୁ

ରାଧାଦେବୀ ହୃଦ-            କୁମୁଦ ବିଧୁ

ବସ୍ତ୍ର ଉତ୍ତରୀୟେ            ଅଙ୍ଗ ମଣ୍ଡନ

ଦର୍ଶନେ ମୋ ଅଘ            ହେଉ ଖଣ୍ଡନ

ନିଅ ପୁଣି ଉପବୀତ,

ତୁମ୍ଭେ ମୋର ଜପ            ତୁମ୍ଭେ ମୋର ତପ

ତୁମ୍ଭେ ମୋ ରଙ୍କର ବିତ୍ତ ।

———————

 

ଅଳଙ୍କାର

ରତନ କିରୀଟ            ମୟୁରଚୂଳ

ଖଞ୍ଜା ହୋଇ ଦିଶୁ-      ଅଛି ମଞ୍ଜୁଳ

ମକରକୁଣ୍ଡଳ            ହେମକଙ୍କଣ

ବରମୂକ୍ତାହାର            କଣ୍ଠଭୂଷଣ

କନକ କଟିମେଖଳା

ଅଙ୍ଗଦ ନୂପୁର            ବସଣି ରୁଚିର

ଘେନ ପ୍ରଭୋ ନନ୍ଦବଳା ।

 

ବୃଷଭାନୁଜେମା            ବଢ଼ାଇ କର

ନିଅ ଗୋ ତୁମ୍ଭର            ଅଙ୍ଗାଳଙ୍କାର

କନକ ଅଳକା            ଶିରୋଭୂଷଣ

କନକ ତାଟକ            ହେମ କଙ୍କଣ

ରତ୍ନଚୂଡ଼ି ଅଙ୍ଗୁରୀୟ,

ସୁବର୍ଣ୍ଣ ମେଖଳା            ହାର ଖଡ଼ୁବଳା

ନାଶା-କର୍ଣ୍ଣଫୁଲ ନିଅ ।

 

ଶ୍ରୀଅଙ୍ଗଭୂଷଣ            ପାଇଁ ସୁମନ

ଦେଉଛି ଛାମୁରେ            ରାଧାମୋହନ

ପଙ୍କଜ ଚରଣେ            ଶରଣ ରଖ

ଢାଳିଦିଅ ଶିରେ            କୃପା ଉଦକ

ଆହେ ରାଧାଚିତ୍ତଚୋର,

ତୁମ୍ଭେ ପିତା ମାତା            ଗୁରୁ ଜ୍ଞାନଦାତା

ସଖା ବନ୍ଧୁ ତୁମ୍ଭେ ମୋର ।

———————

 

ଚନ୍ଦନ

ଅଗୁରୁ ଚନ୍ଦନେ            କର ତିଳକ

ଶରୀରେ ବିଲେପ            ଗୋପପାଳକ

ଲଲାଟେ ସିନ୍ଦୂର            ନେତ୍ରେ କଜ୍ଜଳ

ଦିଶେ ରାଧା ରାଣୀ            ମୁଖ ଉଜ୍ଜ୍ୱଳ

ଧନ୍ୟ ତୁମ୍ଭ ବେନି ଶୋଭା,

ସନ୍ତାପତିମିର-            ବିନାଶୀ ମିହିର

ଭକ୍ତଜନ ମନୋଲୋଭା ।

———————

ପୁଷ୍ପ

ମାଳତୀ ସେବତୀ            ଚମ୍ପକ ସାର

ଜାଈ ଯୂଇ ମଲ୍ଲୀ            ସୁମନହାର

ବନମାଳା ସଙ୍ଗେ            ଦେଉଛି ଆଣି

ଘେନ ହେ ସାଦରେ      ମୁଲଲୀପାଣି

ରାକା-ଚନ୍ଦ୍ରମାବଦନ,

ଦର୍ଶନରେ ମୋର            ନୟନ-ଚକୋର

ସାନନ୍ଦେ କରୁ ନର୍ତ୍ତନ !

———————

 

ଧୂପ

ରାଧିକା ସନ୍ତପ୍ତ-            ହୃଦ-ଚନ୍ଦନ

ନିଅ ବାରେ ବନ୍ଦ୍ୟ            ବଂଶୀବାଦନ

ସୁବାସପୂରିତ            ସୁମନୋହର

ବନସ୍ପତିରସ            ଧୂପ ମୋହର

କରିବା ହେଉ ଆଘ୍ରାଣ,

ମୋଠାରେ ସଦୟ            ହୁଅ ଦୟାମୟ

କର ମୋତେ ପରିତ୍ରାଣ ।

———————

ଦୀପ

ଆଜ୍ୟପୂର୍ଣ୍ଣ ଦୀପ            ବତି ସଂଯୂତ

ନାନା ସୁବାସରେ            ହୋଇଛି ପୂତ

ଅଗ୍ନି ସନ୍ଦୀପନେ            ଦିଶେ ଉଜ୍ଜ୍ୱଳ

ଅତି ଚମତ୍କୃତ            ରୂପ କଜ୍ୱଳ

ଦେଖି ନେତ୍ର ହେଉ ଧନ୍ୟ !

ଅଗତିର ଗତି            ସୁର ନରପତି

ନାହିଁ ମୋ ଶରଣ ଅନ୍ୟ ।

———————

 

ନୈବେଦ୍ୟ

ଗୋରସ ଲବଣୀ            ଶର୍କରା ସର

ଛେନା ଗବ୍ୟଘୃତ            ସୁମନୋହର

ରସାବଳୀ କ୍ଷୀରି            ପଣା ମିଷ୍ଟାନ୍ନ

ଘୃତେ ସୁପାଚିତ            ପିଷ୍ଟକମାନ

ନାନାବିଧ ପକ୍ୱ ଫଳ,

ପାନ ଆଚମନ            ମୁଖପ୍ରକ୍ଷାଳନ

ପାଇଁ ସୁଶୀତଳ ଜଳ,

 

ସୁବର୍ଣ୍ଣପାତ୍ରରେ            ନିହି ସରବ

ନିବେଦେଁ ଛାମୁରେ      ପୂଜା ଦରବ

ଶାକ ଦଧିଅନ୍ନ            ରଖିଛି ବାଢ଼ି

ନୈବେଦ୍ୟ ଦରବ            ସବୁ ସଜାଡ଼ି

ଘେନ ମୋ ଦୁଃଖିର ଧନ,

ଲାଗିଲା ମଧୁର            ଦିଅନ୍ତେ ବିଦୁର-

ଘରେ ପରା ଶାକ ଅନ୍ନ ?

———————

 

ତାମ୍ବୂଳ

ହେ ରଙ୍ଗ ଅଧର            ଘେନ ତାମ୍ବୂଳ

ଏ ଭବ ସାଗରେ            ଦିଅ ହେ କୂଳ

ତୁମ୍ଭେ ତ ମୋହର            ଅନ୍ଧଲଉଡ଼ି

ପାତକ ମୋ ଚିତ୍ତୁଁ            ଦିଅ ଘଉଡ଼ି

ତୁମ୍ଭର ଛନ୍ଦା ଚରଣ,

ମୋ ହୃଦ ଅନ୍ତରେ            ସ୍ଫୁରିଯିବ ଥରେ

ଯେବେ ଆସିବ ମରଣ ।

———————

ଫଳ

ରଖିଛି ଆଗରେ            ମଧର ଫଳ

ଘେନି ମୋ କାମନା      କର ସଫଳ

ମୋର ମନଭୃଙ୍ଗ            ପାଦପଦ୍ମରେ

ଲାଗି ରହିଥାଉ            ମହା ମୁଦରେ

ଏତିକି ମୋର ବିନତି,

କିଶୋରୀ କିଶୋର            ପଦେ ମୋର ଶିର

କରୁ ସର୍ବଦା ପ୍ରଣତି ।

———————

 

ଦକ୍ଷିଣା

ହିରଣ୍ୟ ଦକ୍ଷିଣା            ନିଅ ଶ୍ରୀହସ୍ତେ

ମୋର ଡାକ ଶୁଣ            ଶ୍ରବଣପଥେ

ଆରତତ୍ରାଣ ହେ            ଆରତ ଡାକ

ଶୁଣି, ବାରେ ମେଲ      କୃପାକଟାକ୍ଷ

କିପାଁ ମୋ ଡାକେ ବଧିର

ଆରତଭଞ୍ଜନ            ଅରାତିଗଞ୍ଜନ

ହେଉଅଛ ଏବେ ଧୀର ?

———————

କର୍ପୂର ଆଳତି

କର୍ପୂର ଆଳତି            ଦେଖ ମାଧବ

ପ୍ରସନ୍ନ ହୁଅ ହେ            ଦୀନବାନ୍ଧବ

ଜନ୍ମେ ଜନ୍ମେ ତୁମ୍ଭ            ପଙ୍କଜ ପଦ

ହେଉ ମୋ ବିଷୟ-      ବିଷର ଗଦ

ଯୁଗ୍ମ ମୂରତି ମିହିର

ମୋ ହୃଦ-ଗଗନ            କରୁ ଉଦ୍ଦୀପନ

ନାଶିଣ ପାପ-ତିମିର ।

———————

 

ପ୍ରଦକ୍ଷିଣ

ଜନ୍ମ ଜନ୍ମାନ୍ତର            ଅର୍ଜିତ ପାପ

ବିଷାଦ ଜଡ଼ତା            ମନଃସନ୍ତାପ

ଅପସରି ଯାଉ            ଦୂରେ ତକ୍ଷଣ ।

ଯୋଡ଼ହସ୍ତେ କରେଁ      ମୁଁ ପ୍ରଦକ୍ଷିଣ

ଦ୍ରୌପଦୀ-ମାନରକ୍ଷଣ !

ଜିହ୍ୱା ମୋର ନାମ            ଜପୁ ରାଧେ ଶ୍ୟାମ

ସକଳ ଶୁଭଲକ୍ଷଣ ।

———————

ପୁଷ୍ପାଞ୍ଜଳି

ବିବିଧ ସୁଗନ୍ଧ            ସୁମନାବଳି

ଆଣି ରଚିଅଛି            ଏ ପୁଷ୍ପାଞ୍ଜଳି

ଅର୍ପୁଛି ପୟରେ            ରାଧାଗୋବିନ୍ଦ

ମନ ଧ୍ୟାଉ ସଦା            ପଦାରବିନ୍ଦ

ମୋର ବିନୀତ ମାଗୁଣି,

ଜନ୍ମ ଯେତେ ବାରେ            ଲଭିବି ସଂସାରେ

ପଦ ସେବୁଥିବି ପୁଣି !

———————

 

ପ୍ରାର୍ଥନା

ଚରଣକମଳ            ମସ୍ତକେ ଧରି

ଯୋଡ଼ହସ୍ତେ ଏହା            ମାଗୁଛି ହରି

ଚରଣସେବାରେ            ଲାଗୁ ମୋ କର

ଶିର କରୁ ସଦା            ପଦେ ଜୁହାର

ମୋର ନୟନଯୁଗଳ,

ଦେଖୁ ନିରନ୍ତର            ବାହ୍ୟ ଅଭ୍ୟନ୍ତର

ଗୌରତନୁ ସୁଶ୍ୟାମଳ ।

 

ମୋ ଶ୍ରବଣ ଶୁଣୁ            କଥା ଲଳିତ

ମୁଖ ଗାଉ ମୋର            ତୋ ନାମେ ଗୀତ

ନାସାସୁଖକର            ତୋର ସୁମନ

ହେଉ ନିରନ୍ତର            ନନ୍ଦନନ୍ଦନ

ଚରଣୋଦକେ ମୋ ମାଥ

ହୋଇଯାଉ ପୂତ            କଲ୍ୟାଣ ବହୁତ

ସାଧ ମୋର ଗୋପୀନାଥ !

 

ତୋ ପ୍ରସାଦେ ତୋଷ      ଲଭୁ ରସନା

ହସ୍ତ କରୁ ତୋର            ସ୍ନାନ ମାର୍ଜନା

ସୁମନ ତୁଳସୀ            ଆଣିବା ପାଇଁ

ପାଦ ମୋର ନିତ୍ୟ      ଥାଆନ୍ତୁ ଧାଇଁ

ତୋ ସେବାରେ ଥାଉ ମନ,

କିଣିଲା ସେବକ            ପରି ଦିନଯାକ

ଥାଏଁ ତୋ ସେବାମଗନ ।

———————

 

 

ଶେଷ ଆଳତି

ପ୍ରଶାନ୍ତ ଆକାର            ଫଣୀଶୟନ !

ଅରବିନ୍ଦନାଭ            ପଦ୍ମନୟନ

ଜଗତ ଆଧାର            ସୁରପ୍ରବର

ବାରିଦଶ୍ୟାମଳ            ଶ୍ରୀ କଳେବର

ଯୋଗୀଜନ-ଧ୍ୟାନଗମ୍ୟ,

କମଳାରମଣ            ଆତଙ୍କହରଣ

ପଦ୍ମପଦେ ନମୋନମ ।

 

ଅନାଦି ଅନନ୍ତ            ସହସ୍ରମୂର୍ତ୍ତି

ସହସ୍ରନୟନ            ସହସ୍ରଶ୍ରୁତି

ସହସ୍ର ଆନନ            ସହସ୍ର ଊରୁ

ସହସ୍ରଚରଣ            ଜଗତଗୁରୁ

ସହସ୍ର ସହସ୍ର ନାମ,

ଅନନ୍ତ ସମୟ-            ବ୍ୟାପକ ଚିନ୍ମୟ

ପଦ୍ମପଦେ ନମୋନମ ।

 

କ୍ଷୀରସିନ୍ଧୁଶାୟୀ            ରମାବଲ୍ଲଭ

ସର୍ବଭୂତବାସୀ            ବିଷ୍ଣୁ କେଶବ

ମୁକୁନ୍ଦ ମାଧବ            ଗରୁଡ଼ାସନ

ଗୋ ବ୍ରାହ୍ମଣ ସନ୍ଥ-      ହିତ ସାଧନ

ବାସୁଦେବ ପରଂବ୍ରହ୍ମ !

ସକଳ ମଙ୍ଗଳ-            ପ୍ରଦ ନନ୍ଦବାଳ

କୃଷ୍ଣ ପଦେ ନମୋନମ ।

———————

 

କ୍ଷମା ପ୍ରାର୍ଥନା

ସଂସାରେ ନିର୍ବୋଧ      ଅଜ୍ଞାନବର

ଆରାଧନା ତୋର            ମୋ ଅଗୋଚର

ମନ୍ତ୍ର କ୍ରିୟାବିଧି            ମୋତେ ଅଜଣା

ସ୍ତବ ସ୍ତୁତିପାଠେ            ମୁଁ ବୁଦ୍ଧିବଣା

ମାତ୍ର ଏତିକି ବିନତି,

ଏ ପୂଜାପଦ୍ଧତି            ଦେଉ ମୁକ୍ତିଗତି

ହୋଇ ପ୍ରଶଂସିତ ଅତି ।

 

ସମ୍ପୂର୍ଣ୍ଣ